ସ୍ବାଭିମାନର ଅନ୍ତଃସ୍ବର ଆମ ମାତୃଭାଷା

 

ସ୍ବାଭିମାନର ଅନ୍ତଃସ୍ବର ଆମ ମାତୃଭାଷା

ଦେବେନ୍ଦ୍ର ନାଥ ରାଉତ


୨୦୧୩ ମସିହାର ଏପ୍ରିଲ ଏକ ତାରିଖ, ଉତ୍କଳ ଦିବସ ଅବସରରେ ଦିଲ୍ଲୀର ଏକ ଓଡିଆ ଅଧ୍ୟୁଷିତ ଅଞ୍ଚଳରେ ଆସ ଶିଖିବା ଆମରି ଭାଷା କାର୍ଯ୍ୟକ୍ରମର ନୂତନ କେନ୍ଦ୍ର ଉଦଘାଟନ ଅବସରରେ ଜଣେ ବଙ୍ଗାଳୀ ବନ୍ଧୁ ଆସିଥାନ୍ତି| ଆମର ଏହି ପ୍ରୟାସକୁ ଦେଖି ବହୁତ ପ୍ରଶଂସା କରିବା ସହିତ ଗୋଟିଏ ମତ ରଖିଥିଲେ, ଯେଉଁ ଭାଷାର ପ୍ରାଚୀନତା ଯେତେ ଅଧିକ ତାହା ଲୋକଙ୍କ ଦ୍ବାରା ସେତେ ଅଧିକ ଆଦୃତ, ଯେପରିକି ବଙ୍ଗଳା ଭାଷା ଏକ ଅତ୍ୟନ୍ତ ପୁରାତନ ଭାଷା ଯାହାର ଓଡିଆ ଓ ଆସାମୀୟ ଭାଷା ଉପଭାଷା ଅଟେ| ତେଣୁ ସର୍ବ ଭାରତୀୟ ସ୍ତରଠାରୁ ଆରମ୍ଭ କରି ଆଞ୍ଚଳିକ ସ୍ତରରେ ଏହି ଭାଷା ଅତ୍ୟନ୍ତ ପ୍ରିୟ| ଏଇ କେତେ ପଦ କଥା ସେଦିନ ମତେ ଅସହ୍ୟ ପୀଡା ଦେଇଥିଲା| ତାପରେ ଓଡିଆ ଭାଷାକୁ ଶାସ୍ତ୍ରୀୟ ଭାଷାର ମାନ୍ୟତା ପାଇବାର ପ୍ରାରମ୍ଭିକ ପ୍ରକ୍ରିୟା ମଧ୍ୟରେ ନିଜକୁ ସାମିଲ କରି ଅନ୍ୟ ଭାଷା ଅନୁରାଗୀଙ୍କ ସହିତ ବିଭିନ୍ନ ଆଲୋଚନା ଆଳରେ ଆମ ଭାଷାର ପ୍ରାଚୀନତା ଓ ବିଶାଳତା ହୃଦୟଙ୍ଗମ କରିବା ପରେ ସେଦିନର ସେ ଗ୍ଳାନି ମନରୁ ଆପେ ଆପେ ଦୂରେଇ ଯାଇଥିଲା| ୨୦୧୪ ମସିହା ଫେବୃଆରୀ ୨୦ ତାରିଖରେ ଶାସ୍ତ୍ରୀୟ ମାନ୍ୟତାର ସ୍ଵୀକୃତି ପାଇଁ ଗଠିତ କେନ୍ଦ୍ରୀୟ ଭାଷାକମିଟି ସମସ୍ତ ତଥ୍ୟକୁ ନିରୀକ୍ଷଣ କଲାପରେ ଭାରତ ସରକାରଙ୍କୁ ଓଡିଆ  ଭାଷାକୁ ଶାସ୍ତ୍ରୀୟ ମାନ୍ୟତା ପ୍ରଦାନ କରିବା ପାଇଁ ପରାମର୍ଶ ଦେବାପରେ ଆମେମାନେ ଦିଲ୍ଲୀରେ ଏହାକୁ ଦୀପାବଳୀ ଉତ୍ସବ ପରି ବାଣ ଫୁଟାଇ ମହା ଆନନ୍ଦରେ ପାଳନ କରିଥିଲୁ| ସେତବେଳେ ମନେ ହେଉଥିଲା ସତେ ଯେପରି ଆମ ଭାଷାର ସ୍ଵତନ୍ତ୍ରତା ଉପରେ ଉଠିଥିବା ସମସ୍ତ ପ୍ରଶ୍ନ ବାଚୀ ସବୁଦିନ ପାଇଁ ଅପସରି ଗଲା| ଏ ବିଷୟ ଲେଖିବାର କାରଣ ମାତୃଭଷାର ଗୁରୁତ୍ବ କେବଳ ଆମେ ନୁହେଁ ପ୍ରତ୍ୟକ ଭାଷା ଭାଷୀର ବ୍ୟକ୍ତି ତାଙ୍କ ଜୀବନରେ ଅନୁଭବ କରିଥାନ୍ତି| ସେହି ଅନୁଭବ ଯେତେ ଅଧିକ ପ୍ରଗାଢ ସେ ଜାତି ସେତେ ଅଧିକ ସ୍ବାଭିମାନୀ| ଏହି ଅବସରରେ ଆମ ମାତୃଭାଷାର ଅତୀତ ଓ ବର୍ତ୍ତମାନକୁ ତର୍ଜମା କଲେ ଆମେ ଆକଳନ କରି ପାରିବା ଆମ ଭାଷାର ଗୁରତ୍ଵ|

ଅଷ୍ଟାଦଶ ଶତାବ୍ଦୀର ଷଷ୍ଠ ଦଶକ ଓଡିଆ ଭାଷାର ବିସ୍ତୃତି ଥିଲା ହେଲେ ଓଡ଼ିଶାର ସ୍ଥିତି ନଥିଲା| ଓଡିଆ ଭାଷାଭାଷୀ ଅଞ୍ଚଳ କିଛି ବେଙ୍ଗଲ, ବିହାର ଓ ଆନ୍ଧ୍ର ସହିତ ମିଶିକରି ନିଜର ସ୍ଥିତି ହରାଇ ସାରିଥିଲା| ସେହି ସମୟରେ ଓଡିଆ ଭାଷାର ବିଲୋପ ଅଭିଯାନ ଆମ ପଡୋଶୀ ରାଜ୍ୟରୁ ଆରମ୍ଭ ହେଲା| କିଛି ମୁଷ୍ଟିମେୟ ବ୍ୟକ୍ତି ଓଡିଆ ଭାଷାକୁ ସରକାରୀ ସ୍ତରରେ ବିଲୁପ୍ତ କରିବାର ଘୃଣ୍ଯ ଷଡଯନ୍ତ୍ର ଆରମ୍ଭ କରିଥିଲେ| ସେହି ସମୟରେ ଅଭ୍ୟୁଦୟ ହୋଇଥିଲା ଓଡିଆ ସ୍ବାଭିମାନର ଏକ ମହାସମର ଯାହା ପରବର୍ତ୍ତୀ ସମୟରେ କେବଳ ଓଡ଼ିଶାର ପରିକଳ୍ପନା କରିନଥିଲା ବରଂ ସ୍ବତନ୍ତ୍ର ଓଡ଼ିଶା ଗଠନ ହେବାର ସୂଚୀପତ୍ର ପ୍ରସ୍ତୁତ କରିଥିଲା| ବଙ୍ଗଳାରୁ ଆରମ୍ଭ ହୋଇଥିବା ଓଡିଆ ଭାଷା ବିଲୋପ ଆନ୍ଦୋଳନକୁ ଏହି ସଂଗ୍ରାମ ମାଧ୍ୟମରେ ବିଫଳ କରିବା ସହିତ ଓଡିଆ ଜାତିକୁ ଏକତ୍ର କରି ଏକ ସ୍ବତନ୍ତ୍ର ପ୍ରଦେଶ ଗଠନ କରିବାର ପରିକଳ୍ପନା କରାଯାଇଥିଲା| ପ୍ରତ୍ୟକ ଓଡିଆ ଅଧ୍ୟୁଷିତ ଅଞ୍ଚଳକୁ ଏକ ସୂତ୍ରରେ ବାନ୍ଧିବା ପାଇଁ ସେ ସମୟର ସ୍ବାଭିମାନୀ ଓଡିଆ ମାନଙ୍କୁ ଗୋଟିଏ ମଞ୍ଚରେ ଏକତ୍ର କରିବାର ଏକ ଅସମ୍ଭବ ପ୍ରୟାସକୁ ବାସ୍ତବତାରେ ପରିଣତ କରାଯାଇଥିଲା| ଏହି ମହାସମାବେଶରେ ସାମିଲ ହୋଇଥିଲେ ପ୍ରତ୍ୟକ ମାତୃଭାଷା ପ୍ରେମୀ ମହାନୁଭବ| ଫଳଶୃତି ୧୯୩୬ ମସିହା ଏପ୍ରିଲ ୧ ତାରିଖରେ ଭାଷା ଭିତିରେ ଦେଶର ପ୍ରଥମ ସ୍ବତନ୍ତ୍ର ପ୍ରଦେଶ ଗଠନ|

ଓଡିଆ ସ୍ବାଭିମାନର ଏହି ଦିଗଟିକୁ ଜାଣିବା ପାଇଁ ଆମେ ଟିକେ ଅଧିକ ଅତୀତକୁ ଯିବା| ୧୦୭୩ ମସିହାରେ ଓଡିଆଙ୍କ ଅସ୍ତିତ୍ଵ ସଂକଟାପନ୍ନ ହୋଇଥିବା ବେଳେ ସେମାନଙ୍କ ମନର ଅସନ୍ତୋଷକୁ ଶାନ୍ତ କରିବା ପାଇଁ ଗଙ୍ଗବଂଶୀ ରାଜା ଚୋଳଗଙ୍ଗ ଦେବ ନିଜକୁ ଅଖଣ୍ଡ ଉତ୍କଳର ରକ୍ଷାକର୍ତ୍ତା ଭାବେ ଘୋଷଣା କରିବା ସହିତ ଓଡ଼ିଆ ଭାଷାକୁ ତାମିଲ ଓ ସଂସ୍କୃତ ସହିତ ରାଜଭାଷାର ମାନ୍ୟତା ଦେଇ ଓଡିଆ ଭାଷାପ୍ରୀତିର ଆଦ୍ୟ ସ୍ବାକ୍ଷର ରଖିଥିଲେ। ଯଦ୍ଵାରା ଅବହେଳିତ ହୋଇ ଆସୁଥିବା ଓଡିଆ ଭାଷାଭାଷୀ ନିଜର ପରିଚୟ ପାଇବାର ଏକ ଅପୂର୍ବ ସୁଯୋଗ ପାଇଥିଲେ| ସେହିପରି ୧୪୩୬ ମସିହାରେ କପିଳେନ୍ଦ୍ର ଦେବ ନିଜକୁ ଜଗନ୍ନାଥଙ୍କ ପ୍ରଧାନ ସେବକ ଭାବରେ ଘୋଷଣା କରି ଓଡ଼ିଶାର ଶାସକ ହେବା ସହିତ ପ୍ରଥମକରି କେବଳ ଓଡ଼ିଆକୁ ଶାସନର ଭାଷା ଭାବରେ ଗ୍ରହଣ କଲେ। ଫଳରେ ଓଡ଼ିଶାର ପୁରପଲ୍ଲୀରେ ଓଡ଼ିଆରେ ସାହିତ୍ୟ ରଚନା ଓ ସାହିତ୍ୟ ଆଲୋଚନା ହେବା ସହିତ ଭାରତର ପ୍ରଥମ ରାଜ୍ୟ ଭାବରେ ଶତକଡ଼ା ଶହେଭାଗ ଲୋକ ଶିକ୍ଷିତ ହୋଇପାରିଥିଲେ। ୧୮୬୬ ମସିହାରେ ନଅଙ୍କ ଦୁର୍ଭିକ୍ଷ ସମୟରେ ଅନ୍ନ ବିନା ଅଧିକାଂଶ ଅଞ୍ଚଳ କଙ୍କାଳମୟ ହୋଇଥିବା ବେଳେ ମାତୃଭାଷା ପ୍ରତି ଅଦମନୀୟ ପ୍ରୀତି ଓଡିଆଙ୍କୁ ଏତେ ମାତ୍ରାରେ ଆଚ୍ଛାଦିତ କରିଥିଲା ଯେ କ୍ଷୁଦାର ଜ୍ବାଳା ଠାରୁ ମାତୃଭାଷା ସୁରକ୍ଷାର ନିଶା ତାଙ୍କ ପାଖରେ ଅଧିକ ଅନୁଭୂତ ହୋଇଥିଲା| ଏହାଦ୍ବାରା ଓଡ଼ିଶା ଏକତ୍ରୀକରଣର ବାଟ ଫିଟାଇବା ସହିତ ଆଧୁନିକ ସାହିତ୍ୟ ରଚନାର ଅୟାରମ୍ଭ ହୋଇଥିଲା|

ଏଥିରୁ ସହଜରେ ଅନୁମେୟ ଯେ ଓଡିଆ ଭାଷା ପ୍ରତି ସାଧାରଣ ଜନତାଙ୍କ ପ୍ରତିବଦ୍ଧତା ସର୍ବକାଳୀନ| ବିଶିଷ୍ଟ ସାହିତ୍ୟିକ ଡଃ ମାୟାଧର ମାନସିଂଙ୍କ ମତରେ, ଭାରତର ସମସ୍ତ ଆଧୁନିକ ଭାରତୀୟ ଭାଷାମାନଙ୍କ ଭିତରେ ଓଡ଼ିଆ ସବୁଠାରୁ ଗଣତାନ୍ତ୍ରିକ ବୋଲି କୁହାଯାଇପାରେ କାରଣ ଏହା ମୋଟରେ ଜନତାଙ୍କ ପାଇଁ ଓ ଜନତାଙ୍କ ଦ୍ଵାରା ସୃଷ୍ଟ ଓ ପରିପୁଷ୍ଟଏ ଭାଷା ଆଜି ଯେ ସଗର୍ବରେ ଦଣ୍ଡାୟମାନ, ତାହା ନିଶ୍ଚୟ ଶାସକବର୍ଗର ଉତ୍ସାହ ଓ ଆନୁକୁଲ୍ୟ ଯୋଗୁଁ ନୁହେଁ, ବରଂ ସେମାନଙ୍କର ବିରାଗ, ଅଶ୍ରଦ୍ଧା ଓ କୌଣସି କୌଣସି କାଳରେ ରୀତିମତ ବିଲୋପ ସାଧନର ପ୍ରଚେଷ୍ଟା ସହେ ବୋଲି ଦମ୍ଭର ସହ କୁହାଯାଇପାରେ। ଅନ୍ୟ କୌଣସି ଭାରତୀୟ ଭାଷାକୁ କେବଳ ନିଜ ସ୍ଥିତିପାଇଁ ଏପରି କଠିନ ସଂଗ୍ରାମ କରିବାକୁ ପଡିନାହିଁ, ଯେପରି ଘଟିଛି ଓଡ଼ିଆ ଭାଷାର ଭାଗ୍ୟରେ

ଏହାର ଅର୍ଥ ନୁହେଁ ଯେ ଓଡିଆ ଭାଷାଭାଷୀର ଲୋକମାନେ ସର୍ବଦା ଅତ୍ୟଧିକ ପ୍ରତିକ୍ରିୟା ଶୀଳ ଓ ନିଜ ଭାଷାର ସୁରକ୍ଷା ପାଇଁ ସବୁ ସମୟରେ ଯେକୌଣସି ସ୍ତରକୁ ଯାଇ ପାରିବେ| ଏମିତି ବି ଅନେକ ଉଦାହରଣ ରହିଛି ଓଡ଼ିଆଙ୍କ ଜାତୀୟତା ଭାବର ଅଭାବରେ ଓଡିଆ ଭାଷା ଓ ଓଡିଶା ଭୂମୀ ଅନେକ କ୍ଷତିର ଶିକାର ହୋଇଛି ଓ ପରବର୍ତ୍ତୀ ସମୟରେ ସେହି ସମସ୍ୟାକୁ ସମାଧାନ କରିବା ପାଇଁ ଭାଷା ସଂଗ୍ରାମୀ ମାନେ ଅକ୍ଳାନ୍ତ ପରିଶ୍ରମ କରିଛନ୍ତି| ଓଡ଼ିଆଙ୍କ ଜାତୀୟତାବୋଧ ଅଭାବ ଯୋଗୁଁ ୬ ଫେବୃଆରି ୧୯୫୪ରେ ଉତ୍କଳ ସମ୍ମିଳନୀର ସୁବର୍ଣ୍ଣ ଜୟନ୍ତୀ ପାଳନ ଅବସରରେ ବିଚ୍ଛିନ୍ନାଞ୍ଚଳ ମିଶ୍ରଣ ପ୍ରସଙ୍ଗରେ କଳାହାଣ୍ଡି ରାଜା ପ୍ରତାପ କେଶରୀ ଦେବ ଓ ପଣ୍ଡିତ ଗୋଦାବରୀଶ ମିଶ୍ର ବିହାରର ଅଧିବାସୀଙ୍କ ଦ୍ବାରା ମାଡଖାଇବା ଘଟଣା ପରେ ଓଡ଼ିଆଙ୍କ ପ୍ରାଣରେ ଜାତୀୟତାଭାବ ସୃଷ୍ଟିପାଇଁ ଓଡ଼ିଶାର ମୁଖ୍ୟମନ୍ତ୍ରୀ ସ୍ଵର୍ଗତ ନବକୃଷ୍ଣ ଚୌଧୁରୀ ୧୪ ଅକ୍ଟୋବର ୧୯୫୪ରେ ଓଡ଼ିଶା କାର୍ଯ୍ୟାଳୟ ଭାଷାଆଇନ ୧୯୫୪ ପ୍ରଣୟନ କଲେ। ଏହି ଭାଷା ଆଇନ ଗୃହୀତ ହେବାପରେ ଓଡ଼ିଆ ସବୁ କ୍ଷେତ୍ରରେ ପ୍ରଚଳନ ହେବାର ବାଟ ଫିଟିଲା। ଭାରତର ପ୍ରଥମ ରାଜ୍ୟ ଭାବରେ ଓଡ଼ିଶା ଇଂରାଜୀ ଭାଷାକୁ ପ୍ରତ୍ୟାଖ୍ୟାନ କରି ୩ ଅଗଷ୍ଟ ୧୯୬୪ରେ ଓଡ଼ିଶା ସରକାରଙ୍କ ଘରୋଇ ବିଭାଗ ଦ୍ଵାରା ସରକାରି ସଂକେତ ଗୃହୀତ କରାଇ ଏଥିରେ ଓଡ଼ିଶା ଶାସନ ଓଡ଼ିଆ ଓ ନାଗରି ଲିପିରେ ଲେଖିବା ଦ୍ଵାରା ରାଜ୍ୟ ସରକାର ଓଡ଼ିଆରେ ସବୁକାମ କରିବାପାଇଁ ବଦ୍ଧପରିକର ବୋଲି ସ୍ପଷ୍ଟ ସଙ୍କେତ ଦେଲେ|

ସାମ୍ପ୍ରତିକ ପରିସ୍ଥିତିରେ ଯଦି ମାତୃଭାଷାକୁ ନେଇ ଚର୍ଚ୍ଚା କରାଯାଏ ତେବେ ଦେଖାଯିବ ଆମ ଓଡ଼ିଶାରେ ଓଡିଆ ଭାଷା ଉତ୍ତର ପିଢୀଙ୍କ ଦ୍ବାରା ଯେପରି ଅବହେଳିତ ଏତେ ମାତ୍ରାରେ ଅନ୍ୟ କୌଣସି ଭାଷା ତାର ନିଜ ରାଜ୍ୟରେ ଅବହେଳିତ ନୁହେଁ| ତଥାପି ଏହି ବିଷୟ ଏଠି ଆଲୋଚ୍ୟ କାରଣ ଆମ ମାତୃଭାଷା ମଧ୍ୟରେ ଯେଉଁ ସ୍ବାଭିମାନର ଅନ୍ତଃସ୍ବର ଲୁଚି ରହିଛି ତାହା ଅନୁଧ୍ୟାନ ଯୋଗ୍ୟ| ଆମେ ଓଡିଆ ହେବାର ଅନୁଭୁବକୁ କେବଳ ଆମର ମାତୃଭାଷାରୁ ହିଁ ପାଇଥାଉ ଯଦିଓ ଆମର ଅଜାଣତରେ ଆମେ ଅନେକ ସମୟରେ ଆମ ମାତୃଭାଷାକୁ ଅଣଦେଖା କରିଥାଉ ବା ଅବହେଳା କରିଥାଉ| ମାତୃଭାଷା ପ୍ରତି ପ୍ରତିବଦ୍ଧତା ଆମେ ନିଜ ମଧ୍ୟରେ ନଖୋଜି ସର୍ବଦା ଅନ୍ୟମାନଙ୍କ ଠାରୁ ଆଶା କରୁଛେ| ଯଦ୍ଵାରା ଆମ ପିଲାମାନେ ଆମ ମାତୃଭାଷାକୁ ଭଲଭାବେ ଗ୍ରହଣ କରିପାରୁ ନାହାନ୍ତି| ଆମେ ଓଡିଆ କହିବା ବା ଲେଖିବା ବେଳେ ଅନାବଶ୍ୟକ ଭାବେ ଇଂରାଜୀ ବା ହିନ୍ଦୀ ଶବ୍ଦର ସାହାଯ୍ୟ ନେଇ ନିଜର ବୌଦ୍ଧିକ ଶ୍ରେଷ୍ଠତାର ପ୍ରମାଣ ଦେଉଦେଉ ଆମ ପିଲାମାନେ ଆମ ଅଜାଣତରେ ମାତୃଭାଷା ଠାରୁ ଦୂରେଇ ଯାଇ କେମିତ ଦୁର୍ବଳ ହୋଇ ପଡୁଛନ୍ତି ଓ ନିଜକୁ ଓଡ଼ିଶାରେ ମଧ୍ୟ ଅସହାୟ ମନେ କରୁଛନ୍ତି| ଓଡ଼ିଶାରେ ଓଡିଆ ହିଁ ସ୍ଵାଭିମାନର ଅନ୍ତଃସ୍ବର ବୋଲି ଆମେ ଅନୁଭବ କଲାବେଳକୁ ଆମ ପିଲାମାନେ ସେ ସ୍ବାଭିମାନ ହରାଇବାର ଦ୍ବାରା ଦେଶରେ ଉପନୀତ| ଏମିତି ଏକ ଘଡି ସନ୍ଧି ମୁହୂର୍ତ୍ତରେ ଓଡିଆ ଭାଷାକୁ ଶାସ୍ତ୍ରୀୟ ମାନ୍ୟତା ନିଶ୍ଚୟ ଆମ ସ୍ବାଭିମାନର ଅନ୍ତଃସ୍ଵରକୁ ପୁନଃ ଜାଗ୍ରତ କରିଛି ଓ ମାତୃଭାଷା ପ୍ରତି ଅନୁରାଗ ସବୁ ବର୍ଗରେ ଧୀରେ ଧୀରେ ବୃଦ୍ଧି ପାଉଛି|

Comments

Popular posts from this blog

ଗୋପବନ୍ଧୁ ଚୌଧୁରୀ – ଏକ ବିରଳ ବ୍ଯକ୍ତିତ୍ବ